1. ମାର୍ଗଶୀର
ଆଦ୍ୟ ମାର୍ଗଶୀର ମାସର ଶୀତ ,
ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ........ |
ମୁଁ ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ
କାହୁଁ ଅଣିଦେବି କମଳା କାନ୍ତ ମୋ କାହ୍ନୁ ରେ ||
2. ପୌଷ
ପୌଷେ ଚନ୍ଦ୍ରା ବଳୀ ଚପୋଳି ବସି ,
ହସ୍ତେ ବନମାଳ କଣ୍ଠେ ତୁଳସୀ |
ସେ ଦିନ ଜାଣିଲି ଏ ଗୋବିନ୍ଦ ବର ,
କୃଷ୍ଣ କଥା ଯାକ ପଦେ ମନୋରମ କାହ୍ନୁ ରେ ||
3. ମାଘ
ମାଘରେ ମଘୋଇ ଆସିବେ ବୋଲି ,
ସେ ଯଶ ଜାଣିଲି ପାଖୁଡ଼ା ମେଲି |
ଉଜାଗି ବସିଲି ମାଣିକ ବତୀ ,
ନୀତି ଉଜାଗରେ ପହିଲା ରାତି ମୋ କାହ୍ନୁ ରେ ||
4. ଫାଲଗୁନ
ଫାଲଗୁନ ମାସରେ ଦୋଳ ଗୋବିନ୍ଦ ,
ଫଗୁ ଖେଳୁଛନ୍ତି ପରମାନନ୍ଦ |
ଅଭିର ସାଙ୍ଗ ଝାଲେରୀ ମିଶାଇ ,
ଫଗୁ ଖେଳୁଛନ୍ତି ଯାଦୁ ଗୋସାଇଁ ମୋ କାହ୍ନୁ ରେ ||
5. ଚୈତ୍ର
ଚଇତ୍ର ମାସରେ ଫୁଟଇ ମଲ୍ଲୀ ,
ଚୁଆ ଚନ୍ଦନକୁ ମୁଁ ତେଜ କଲ୍ଲୀ |
ମଲ୍ଲୀ ପୁଷ୍ପରେ ମୁଁ ଗଲି ବିଧୁଳି ,
ଯୋଗେ ଭେଟ ହେଲେ ଶାରଙ୍ଗ ପାଣି ମୋ କାହ୍ନୁ ରେ ||
6. ବୈଶାଖ
ବୈଶାଖ ମାସରେ ଖରା କିସମ ,
ଚନ୍ଦନ କର୍ପୂର ଅଙ୍ଗ ଲେପନ |
ଆଲଟ ଚାମର ଢାଳନ୍ତି ବସି ,
ମୋ ପୁରେ ବିଜୟ ଶ୍ରୀ ବନମାଳୀ ମୋ କାହ୍ନୁ ରେ ||
7. ଜ୍ୟେଷ୍ଠ
ଜ୍ୟେଷ୍ଠ ମାସରେ ସେ ଗୁଳୁଗୁଳି ,
ସ୍ନାହାନ କୁ ବିଜେ ଶ୍ରୀ ବନମାଳୀ |
ସ୍ନାହାନ ସାରିଣ ଅଣଷଣେ ଗଲେ ,
ଗୋପ ଯୁବତୀଙ୍କୁ ଅନାଥ କଲେ ମୋ କାହ୍ନୁ ରେ ||
8. ଆଷାଢ଼
ଆଷାଢ଼ ମାସରେ ଗୁଣ୍ଡିଚାଯାତ ,
ରଥରେ ବିଜୟ ଶ୍ରୀ ଜଗନ୍ନାଥ |
ଆଗେ ବଳଭଦ୍ର ବସିଲେ ଯାଇ ,
ମଝିରେ ସୁଭଦ୍ରା ପଛେ କହ୍ନାଇ ମୋ କାହ୍ନୁ ରେ ||
9. ଶ୍ରାବଣ
ଶ୍ରାବଣ ମାସରେ ଘୋର ବରଷା ,
ସକଳ ଛାଡ଼ିଣ କୃଷ୍ଣରେ ଆଶା |
ନ ରୁଚଇ ମୋତେ ସୁବାସ ବାସ ,
ଅନ୍ନ ପାରିଜାତ ଲାଗଇ ବିଷ ମୋ କାହ୍ନୁ ରେ ||
10 . ଭାଦ୍ରବ
ଭାଦ୍ରବ ମାସରେ ହରି ଜନମ ,
ଘରେ ଘରେ ପ୍ରଭୁ ହେଲେ ଜନମ |
ଜନମ ହୋଇ ଗୋପ ରେ ବଢ଼ିଲେ ,
ଶେଷରେ କଂସା ସୁରଙ୍କୁ ନାଶିଲେ ମୋ କାହ୍ନୁ ରେ ||
11. ଆଶ୍ୱିନ
ଆଶ୍ୱିନ ମାସରେ କୁଆଁରୀ ଜହ୍ନ ,
ପଶା ଖେଳିବାରେ ବଳିଛି ମନ |
ଚନ୍ଦ୍ର କିରଣ ରେ ଖେଳନ୍ତି ପଶା ,
କୃଷ୍ଣ କଲେ ମୋତେ ଭଗାରି ହଁସା ମୋ କାହ୍ନୁ ରେ ||
12. କାର୍ତ୍ତିକ
କାର୍ତ୍ତିକେ ସମୂର୍ଣ୍ଣ ଏ ବାରମାସ ,
ବାଲୁକା ପୂଜିବା ହୋଇ ହରଷ |
ଦାମୋଦର ପୂଜା କରେ ମୁଁ ବସି ,
ଭାବରେ ପଡ଼ିଲେ ଅଚ୍ୟୁତ ଦାସ ମୋ କାହ୍ନୁ ରେ ||
( ସମାପ୍ତ )
Comments
Post a Comment